ସମ୍ ହସ୍ପିଟାଲରେ ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ

ସମ୍ ହସ୍ପିଟାଲରେ ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ
ସମ୍ ହସ୍ପିଟାଲରେ ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ

ଭୁବନେଶ୍ୱର: ସାଧାରଣତଃ ଆମ ଶରୀରରେ ପେଟ ବ୍ୟଥା ହେଲେ, ପତଳା ଝାଡା ହେଲେ, ଝାଡାରେ ରକ୍ତ ପଡ଼ୁଥିଲେ, ଓଜନ କମିଲେ, ଆଖି ଲାଲ୍ ପଡ଼ିଗଲେ, ଆଣ୍ଠୁଗଣ୍ଠି ଦରଜ ହେଲେ ଏହାକୁ ଆମେ ଏକ ସାଧାରଣ ରୋଗ ଭାବେ ଗ୍ରହଣ କରିଥାଉ । କିନ୍ତୁ ଏହା କେତେବେଳେ ଯେ ମାରାତ୍ମକ ବ୍ୟାଧି ପାଲଟିଯାଏ ତାହା ଜଣାପଡେ ନାହିଁ । ଏହିଭଳି ମାରାତ୍ମକ ବ୍ୟାଧିକୁ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ (ଆଇବିଡି) କୁହାଯାଏ ।

ଅଲସରିଟିଭ୍ କୋଲାଇଟିଜ୍ କିମ୍ବା କ୍ରନ୍ସ ରୋଗାକ୍ରାନ୍ତ ହେଲେ ଏହାକୁ ଆଇବିଡି ବୋଲି କୁହାଯାଇଥାଏ । ଏହି ରୋଗ ଧୀରେ ଧୀରେ ସାରା ଶରୀରକୁ ଆକ୍ରାନ୍ତ କରିଥାଏ । ଏହି ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ପକ୍ଷରୁ ରବିବାର ବିଶ୍ୱ ଇନଫ୍ଲାମେଟୋରୀ ବାୱେଲ୍ ଡିଜିଜ୍ ଦିବସ ପାଳିତ ହୋଇଯାଇଛି ।

ଗ୍ୟାଷ୍ଟ୍ରୋଏନଟେରୋଲୋଜି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗର ମୁଖ୍ୟ ଡ. ମନୋଜ କୁମାର ସାହୁ ଉପସ୍ଥିତ ବ୍ୟକ୍ତି ଏବଂ ଏହି ରୋଗରେ ଶିକାର ହୋଇଥିବା ରୋଗୀମାନଙ୍କୁ ଆଇବିଡି ସମ୍ପର୍କରେ ବୁଝାଇବା ସହ ସଚେତନତା ଉପରେ ଜୋର୍ ଦେଇଥିଲେ ।

ଡ. ସାହୁ କହିଥିଲେ ଏହି ରୋଗ ଖୁବ୍ ପୀଡ଼ାଦାୟକ ଏବଂ ଏହା ଦ୍ୱାରା ଶରୀରର ପାଚନ ପ୍ରକ୍ରୀୟା ଆକ୍ରାନ୍ତ ହୋଇଥାଏ । ପରବର୍ତୀ ଅବସ୍ଥାରେ ଶରୀରର ହାଡ, ବୃକକ୍, ଯକୃତ, ଚକ୍ଷୁ ଏବଂ ଚର୍ମ ମଧ୍ୟ ଆକ୍ରାନ୍ତ ହୋଇଥାଏ । ଏହି ରୋଗ ପରବର୍ତୀ ସମୟରେ କ୍ୟାନ୍ସରରେ ମଧ୍ୟ ପରିଣତ ହୋଇପାରେ । କେଉଁ କାରଣ ପାଇଁ ଏହି ରୋଗ ହୁଏ ଜଣା ନପଡ଼ିଥିଲେ ମଧ୍ୟ ମୁଖ୍ୟତଃ ଏହା ବଂଶାନୁକ୍ରମିକ ହୋଇଥାଏ । ତେଣୁ ଏହି ରୋଗ ନିମନ୍ତେ ସମ୍ପୂର୍ଣ୍ଣ ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତା ରହିଛି ବୋଲି ଡ. ସାହୁ କହିଛନ୍ତି ।

୫ଟି ମହାଦେଶର ୫୦ଟି ଦେଶ ଏହି ରୋଗର ସଚେତନତା ନେଇ ଆଗେଇ ଆସିଥିବା ବେଳେ ଚଳିତବର୍ଷ ବିଶ୍ୱ ଆଇବିଡି ଦିବସର ଥିମ୍ ରହିଛି “ମେକିଙ୍ଗ୍ ଦ ଇନଭିଜିବଲ୍ ଭିଜିବଲ୍” । ଅର୍ଥାତ୍ ଯାହା ଆମକୁ ଦେଖାଯାଉ ନାହିଁ ତାହା ସାମ୍ନାକୁ ଆଣିବାର ଆବଶ୍ୟକତା ରହିଛି । ବିଶ୍ୱରେ ପ୍ରାୟ ଏକ କୋଟି ଲୋକ ଏହି ରୋଗର ଶିକାର ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଆଇବିଡି ରୋଗୀଙ୍କ ସଂଖ୍ୟ ଖୁବ ଅଧିକ । ତେଣୁ ଏ ନେଇ ସରକାର, ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଜନସାଧାରଣ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ଡ. ସାହୁ କହିଛନ୍ତି ।

ବିଭାଗର ଅନ୍ୟତମ ଆସୋସିଏଟ୍ ପ୍ରଫେସର ଡ. ଜିମି ନାରାୟଣ ଏହି ଅବସରରେ କହିଥିଲେ ଯେ ରୋଗାକ୍ରାନ୍ତ ହୋଇଥିବା ବ୍ୟକ୍ତିର କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ରୋଗ ଦ୍ୱାରା କାମ କରିବାର ଶକ୍ତି କମିଯାଏ । ତେଣୁ ଏଥିପାଇଁ ନିୟମିତ ଚିକିତ୍ସାର ଆବଶ୍ୟକତା ରହିଛି ।
ଏହି ଅବସରରେ ଆଇବିଡି ରୋଗରେ ଶିକାର ହୋଇଥିବା କେତେକ ରୋଗୀ ନିଜର ଅନୁଭୂତି ବଖାଣିଥିଲେ ।

Share this story

World Odia Language Conferene