ଅଭିମାନ ନା ସ୍ୱାଭିମାନ ! ଏଥର ବି ଦୁରେଇ ରହିଲେ ବି.କେ.ଶର୍ମା

ଅଭିମାନ ନା ସ୍ୱାଭିମାନ ! ଏଥର ବି ଦୁରେଇ ରହିଲେ ବି.କେ.ଶର୍ମା
ଅଭିମାନ ନା ସ୍ୱାଭିମାନ ! ଏଥର ବି ଦୁରେଇ ରହିଲେ ବି.କେ.ଶର୍ମା

ଭୁବନେଶ୍ୱର: ଅଭିମାନ ନା ସ୍ୱାଭିମାନ ! ରାଗ ନା ବୈରାଗ ! କେଉଁ କାରଣ ପାଇଁ ପୁଲିସ ବିଭାଗରୁ ଦୁରେଇ ରହିଛନ୍ତି ହୋମଗାର୍ଡ ଓ ଅଗ୍ନିଶମ ଡିଜି ବି.କେ.ଶର୍ମା । ପୁଲିସ ବିଭାଗର ତଳଠୁ ଉପର ଯାଏଁ ଏପରିକି ପ୍ରଶାସନିକ ଓ ସରକାରୀ ବଡ଼ ପଣ୍ଡାମାନଙ୍କ ମହଲରେ ଏ ଚର୍ଚ୍ଚା ଜୋର ଧରିଛି ।

କ୍ରାଇମ୍ ବ୍ରାଞ୍ଚର ସ୍ୱତନ୍ତ୍ର ଡିଜି ପଦରୁ ପଦୋନ୍ନତି ପାଇ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ ହେବା ପରେ ୧୯୮୬ ବ୍ୟାଚ୍ ର ଏହି ବରିଷ୍ଠ ଆଇପିଏସ୍ ଅଫିସର ହଠାତ୍ ସକ୍ରୀୟ ଭୂମିକାରୁ ଓହରି ଯିବା ବା ଦୁରେଇ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ଏପରିକି ଗତ ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀରେ ତାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଥିଲା ।

ଡିଜି ପଦବୀ ପାଇଁ ହକଦାର ଥିବା ଶ୍ରୀ ଶର୍ମାଙ୍କୁ ରାଜ୍ୟ ସରକାର ଡିଜି ପଦବୀରେ ଅବସ୍ଥାପିତ ନକରି ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ଦେବା ଘଟଣାକୁ ସମ୍ଭବତ ଗ୍ରହଣ କରିପାରିନଥିଲେ ଶ୍ରୀ ଶର୍ମା । ଯାହାର ଫଳସ୍ୱରୂପ ସେ ଅପମାନ ଦିଆଯାଇଥିବା ଅନୁଭବ କରି ପୁଲିସ ବିଭାଗର ସମସ୍ତ କାର୍ଯ୍ୟରୁ ଦୁରେଇ ଯାଇଥିଲେ । କିନ୍ତୁ ଚଳିତ ବର୍ଷ ବରିଷ୍ଠ ପୁଲିସ ଅଫିସର ସମ୍ମିଳନୀରେ ଶ୍ରୀ ଶର୍ମାଙ୍କ ଅନୁପସ୍ଥିତି ଅଲୋଚନାର ଖୋରାକ ଯୋଗାଇଛି ।

ଏହା ଜଣାଶୁଣା କଥା ଯେ ଓଡ଼ିଶା ପୁଲିସରେ ଜଣେ ସୁଦକ୍ଷ ତଥା ଜଟିଳ ମାମଲାର ତଦନ୍ତରେ ମାହିର ଶ୍ରୀ ଶର୍ମାଙ୍କ ଆଶ୍ଚର୍ଯ୍ୟଜନକ ନିରବତା ଝଡ଼ ପୂର୍ବର ନିରବତା ନୁହେଁ ତ? ଏ ଆଶଙ୍କା ଅମୂଳକ ନୁହେଁ । ଏହା ସତ୍ୟ ଯେ ଶ୍ରୀ ଶର୍ମା ଜଣେ ଦକ୍ଷ ତଥା ପ୍ରଭାବଶାଳୀ ଆଇପିଏସ୍ ଅଫିସର । ସିବିଆଇରେ କିଛି ବର୍ଷ କାମ କରି ସେ ଯେଉଁ ସଫଳତା ସାଉଁଟିଥିଲେ, ୨୦୦୮ ଅପ୍ରେଲ ପ୍ରଥମ ସପ୍ତାହରେ ଦ୍ୱିତୀୟ ଟୁଇନ୍ ସିଟି (ଭୁବନେଶ୍ୱର-କଟକ) ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବା ସହ କମିଶନରେଟକୁ ନୂଆ ରୂପ ଦେବାରେ ତାଙ୍କର ପ୍ରମୁଖ ଭୁମିକା ରହିଥିଲା ।

ଖାଲି ଏକିତି ନୁହେଁ ସବୁ କାର୍ଯ୍ୟରେ ସକ୍ରୀୟ ରହୁଥିବା ଶ୍ରୀ ଶର୍ମା ଅକସ୍ମିକ ଭାବେ ନିଜ ବିଭାଗୀୟ ଉତ୍ସବରୁ ମଧ୍ୟ ନିଜକୁ ସମ୍ପୁର୍ଣ୍ଣ ଦୁରେଇ ରଖିବା ବିଡ଼ମ୍ବନା ବୋଲି କୁହାଯାଉଛି । ଡିଜି ପଦ ପାଇଁ ତାଙ୍କ ଭଳି ଜଣେ ଦକ୍ଷ ପୁଲିସ ଅଫିସରଙ୍କୁ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ଦିଆଯିବା ଘଟଣା ପ୍ରଶାସନିକ ଛକାପଞ୍ଝାର ପରିଣତି ବୋଲି କୁହାଯାଉଛି ।

Share this story

World Odia Language Conferene