ପିଲା ଖାଇ ଡାହାଣୀ…

ପିଲା ଖାଇ ଡାହାଣୀ…
ପିଲା ଖାଇ ଡାହାଣୀ…

ଛି ଛି ଛି…ଛି ..ତମର ୟେ ରାଜଧାନୀ ନା କଦଳୀ ବା । ରାଗରେ ସାହିଟାକୁ ପକେଇ ଉଠେଇ ଥିଲା ରଙ୍କ ଗଉଡ ଭାରିଜା । ସେ ବି ଠିକ୍ କହିଲା,  ସେ ପିଲା ବେଳେ ଆଗରୁ ଅନେକ ଥର ଶୁଣିଛି, ଶୁଣିଛି କିସ ବା । ଗାଁ ବଣରୁ ଜାଳେଣୀ ଭାର ଆଣିବା ବେଳେ ତିନି ମାସକୁ ଥରେ ରାସ୍ତା କଡେ କେହି ନା କେହି ଦିନକର ପିଲାକୁ ପିନ୍ଧା ଲୁଗାରେ ଗୁଡେଇ ଫୋପାଡ଼ି ଚାଲିଯାଏ । ଗାଁ ମାଇପେ ଭାର ରଖି ସେ ଛୁଆକୁ ଆଣନ୍ତି । ପବନ ବେଗରେ ଖବର ପ୍ରଚାର ହୁଏ ଯେ, ଅମକ ଯାଗାରୁ ପିଲାଟେ ମିଳିଛି । ପିଲାକୁ ଦେଖିବାକୁ ଆଖପାଖର ଗାଁ ଲୋକେ ଭିଡ଼ ଜମାନ୍ତି ।

ଗୋଟେଇ ଆଣିଥିବା ମହିଳାଙ୍କ ଘରେ ସେ ଦିନ ସୋରିଶ ପକାଇବାକୁ ଜାଗା ନଥାଏ । ତା ପରେ କ’ଣ ହୁଏ କେହି କିନ୍ତୁ କିଛି ବି ଖବର ରଖନ୍ତିନି । ସେ ପିଲା ମଲା କି ବଞ୍ଚିଲା ଜାଣିବାକୁ ଚେଷ୍ଟା ବି କରନ୍ତିି ନାହିଁ । ପୁଣି କେବେ ରାସ୍ତା କଡ଼ରୁ ନବଜାତ ଶିଶୁ କି ଭୃଣ ଉଦ୍ଧାର ହେଲେ ସେହି ପୁରୁଣା କଥା ଯେମିତି କୋଉ ପୋଡ଼ାମୁହିଁର ଏ ପାପ ସନ୍ତାନ କେଜାଣୀ ଯଉବନ ଯଦି ଏତେ ଛନ ଛନ କରୁଥିଲା ପିଲା ଜନମ ପରେ କାହାକୁ ଦାନ ଦେଇ ଦେଲାନି ? ପିଲା ଖାଇ ଡାହାଣୀ ତାକୁ ମରଣ ହେଉ ଛି ଛି କି ପାପ କରିଥିଲା ଏ ପିଲା ?

ଜୀବନ ବଞ୍ଚିଗଲେ ଜାରଜ ଭଳି ଜୀବନ ବିତାଇବ । ହେ ପ୍ରଭୁ କିଏ ବା ସେ ଟୋକି ତା ଯଉବନ ଯଦି ଏତେ ଛନ ଛନ ହେଉଥିଲା ଘରେ କହିଲାନି ଯାହା ସହ ମୁହଁ କଳା କଲା ସେ ହିଁ ମଥାରେ ନାଲି ଗାର ଦେଇ ଏ ପିଲାର ପରିଚୟ ଦେଇଥାନ୍ତା । ଏମିତି ଅନେକ କଥା କହୁଥାଏ ରଙ୍କ ଗଉଡ଼ ଭାରିଜା, କେହି ନଶୁଣିଲେ ବି ତା ୧୭ ବର୍ଷିୟା ନାତୁଣି ଯିଏ ଏବେ ଏବେ ରମାଦେବୀ କଲେଜ ଯାଉଛି ସେ କିନ୍ତୁ ମୁଣ୍ଡରେ ହାତ ଦେଇ କଇଁ କଇଁ ହେଇ କାନ୍ଦୁଛି । ନିରବ ନିଶ୍ଚଳ ହୋଇ ଜେଜେ ମାଆ କଥାକୁ ଅଟକାଇ ପାରୁନି । କିଛି କହିବାକୁ ଚାହୁଁଛି କିନ୍ତୁ କହିପାରୁନି ।

କିଛି ସମୟ ପରେ ପୋଲିୟ ଭ୍ୟାନ ହର୍ଣ୍ଣ ଶୁଣି ଯିଏ ଯୁଆଡେ ଥିଲେ ସମସ୍ତେ ଆସିଲେ । ଖବର ମୋ ପାଖକୁ ବି ଆସିଲା । ଶୁଣା କଥା କଣ କି ରୀଜଧାନୀ ଶେଷ ମୁଣ୍ଡରେ ସକାଳୁ ସକାଳୁ ଗୋଟେ ଦିନେ କି ଦି’ ଦିନର ଛୋଟ ଶିଶୁଟିଏ ଉଦ୍ଧାର ହୋଇଛି । ଭଲରେ ନୁହେଁ ସାହି କୁକୁର ମାନେ କଣ ତା ଅବସ୍ଥା ରଖିଛନ୍ତି । ଦରମରା କରି ଦେଇଛନ୍ତି ଭଲ ହେଲା ରଙ୍କ ଗଉଡ଼ ଭାରିଜା ନାତୁଣୀ ଦେଖିଲା ବୋଲି ସେ କୁକୁରକୁ ଆଡ଼େଇ ପିଲାକୁ ଉଦ୍ଧାର କରିଛି । ସାହି ଲୋକଙ୍କୁ କହିବା ପରେ ପୋଲିସ ଆସିଛି ।

ଉଦ୍ଧାର ପିଲାକୁ ନେଇ ଡାକ୍ତରଖାନା ଯାଇଛି ପୋଲିସ । ପାଖରେ ଓଡ଼ିଶାର ବଡ଼ ଚ୍ୟାନେଲର ଅଫିସ, ସଙ୍ଗେ ସଙ୍ଗେ ପବନ ବେଗରେ ଖବର ପ୍ରସାରଣ କରିବାରୁ ଓଡ଼ିଶାବାସୀ ଏ ବିଷୟରେ ଜାଣି ପାରିଲେ । ରଙ୍କ ମାଇପ କିନ୍ତୁ କହିଲା ଏ ଟିଭିବାଲା ପିଲାକୁ ଆଗ ବଞ୍ଚା ଆଉ ଏ ପିଲାର ମା କିଏ ବାପ କିଏ ଦୁନିଆକୁ ଜଣା ହେଲା । ହଁ ଭରି ଷ୍ଟୋରି ଫାଇଲ କରିବାକୁ ଟିମ୍ ଆସିଗଲା ।

ରଙ୍କ ଭାରିଜା ୟା ଭିତରେ କେତେ ଦିଅଁ ଦେବତା ଡାକିସାରିଲାଣି । ହେ ମା ଶିଖରଚଣ୍ଡି ଏ ପିଲାଟାକୁ ବଞ୍ଚେଇ ଦେ । ଦରକାର ପଡ଼ିଲେ ମୁଁ ଏ ପିଲାର ଲାଳନ ପାଳନ କରିବି । ଖାଲି ସେ ପୋଡ଼ାମୁହିଁ ମାଆକୁ ଯାହା ମରଣହଉନି । ତୋର ଯଦି ପିଲା କରିବାକୁ ନଥିଲା ଓଷୁଧ ଖାଇ ପେଟରେ ହିଁ ମାରି ଦେଲୁନି । କଳଙ୍କିନି ଯଉବନ ଉଛୁଳିଥିଲା ତ ପିଲାକୁ ଆଦରି ନେଲୁନି ? ସଞ୍ଜ ଯାଏ ରଙ୍କ ଭାରିଜା ଏମିତି ଗପୁ ଥାଏ ପାଖରେ କଲେଜ ପଡୁଆ ନାତୁଣୀ ଜେଜେ ମା କଥାକୁ ଗପ ଭଳି ଶୁଣୁଥାଏ । ଶେଷରେ ଗୋଟାଏ କଥା କହିଲା । ଜେଜି ତୋ କଥା ନା ଗପ ହେଲି ବି ସତ ଲୋ । ହାଁ…କହି ପୁଣି ଭେଁ ଭେଁ ରଡ଼ି ଛାଡ଼ିଲା…

Share this story

World Odia Language Conferene