ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ
ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବେଶ କିଛି ମାସ ବ୍ୟବଧାନ ପରେ ଏବେ ଆକ୍ସନ ମୁଡରେ ଗଂଜାମ ପୋଲିସ । କାରଣ ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜଣେ ଦୁର୍ଦ୍ଧାନ୍ତ ଅପରାଧୀକୁ ପୋଲିସ ଏନକାଉଣ୍ଟର କରି ଲହୁଲୁହାଣ କରିଛି । ଅପରାଧୀ ଓ ପୋଲିସ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ଵାଇଁ ଗୁରୁତର ଆହତ ହୋଇଛି ।

ଅନ୍ୟପଟରେ ଖଲ୍ଲିକୋଟ ଥାନା ଅଧିକାରୀ ସମେତ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଶୁକ୍ରବାର ଭୋର ସାଢେ 4ଟା ସମୟରେ ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ନିକଟରେ ଥାନା ଅଧିକାରୀ ସୁନିଲ କୁମାର ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ ମନୋଜ ସ୍ୱାଇଁକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲେ ।

ଠିକ ଏହି ସମୟରେ ପୋଲିସ ଟିମ୍ କୁ ଦେଖି ମନୋଜ ଖସିଯିବା ପାଇଁ ପୋଲିସ ଉପରକୁ ଗୁଳି ମାଡ କରିଥିଲା । ପୋଲିସ ଏହାର ପାଲଟା ଜବାବ ଦେଇଥିଲା । ଫଳରେ ମନୋଜଙ୍କ ବାମ ଗୋଡରେ ଗୁଳି ବାଜିଛି । ସେ ଗୁରୁତର ଆହତ ହୋଇଛନ୍ତି । ଅପରାଧୀ ମନୋଜ ସ୍ବାଇଁକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରୁ ମନୋଜର ଅନ୍ୟତମ ସହଯୋଗୀ ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ତାକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଚାଲିଛି । ମନୋଜ ନିକଟରୁ ପୋଲିସ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ ଓ ଗୋଟିଏ ମାଗାଜିନ ଜବତ କରିଛି । ଗଂଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଅପରାଧୀ କ୍ଲିନ ଅପେରସନ ଜାରି ରହିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Share this story

World Odia Language Conferene