କର୍ତ୍ତବ୍ୟରେ ଅବହେଳା ପାଇଁ ୪ ଜଣ ଡାକ୍ତର ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ୪ ଜଣ ଡାକ୍ତର ନିଲମ୍ବିତ
କର୍ତ୍ତବ୍ୟରେ ଅବହେଳା ପାଇଁ ୪ ଜଣ ଡାକ୍ତର ନିଲମ୍ବିତ

ଭୁବନେଶ୍ୱର: କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ପୁରୀ ଜିଲ୍ଲାର ୪ ଜଣ ଡାକ୍ତର (ସହକାରୀ ସର୍ଜନ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି । ସେମାନେ ହେଲେ ଚିଲିକା-ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜାହାନା ପରବିନ୍ ଓ ଡାକ୍ତର ଜାକେଶ୍ ସାମନ୍ତରାୟ, ବ୍ରହ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ)ର ଡାକ୍ତର ବାପୁଜୀ ନାୟକ, ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜସ୍ମିନ୍ ନୀଳିମା ପଣ୍ଡା ।

ସୂଚନା ଯୋଗ୍ୟ କି ସ୍ୱାସ୍ଥ୍ୟ ବିଭାଗର ପଦସ୍ଥ ଅଧିକାରୀମାନେ ଫନି ବାତ୍ୟା ପରବର୍ତି ସ୍ୱାସ୍ଥ୍ୟସେବା କାର୍ଯ୍ୟ ତଦାରକ କରିବାକୁ ପରିଦର୍ଶନରେ ଯାଇଥିବା ବେଳେ ଏହି ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ଥିଲେ ।

ବାତ୍ୟା ପରବର୍ତୀ ଅବସ୍ଥାରେ ପୁରୀ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ବେଳେ ବିଭାଗର କମିଶନରଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଘନ ଘନ ଗସ୍ତ କରୁଛନ୍ତି । ବାତ୍ୟା ପ୍ରଭାବିତ ଅଂଚଳରେ ମହାମାରୀ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସବୁମନ୍ତେ ଉଦ୍ୟମ ଜାରି ରଖିଥିବା ବେଳେ ଏହି ଡାକ୍ତରମାନେ କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହିବା ଓ ଅବହେଳା ପ୍ରଦର୍ଶନ କରୁଥିବା ଦୃଷ୍ଟିକୁ ଆସିଥିଲା ।

ଅନ୍ୟପକ୍ଷରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ରାମଚନ୍ଦ୍ର ରାଉତଙ୍କୁ ବଦଳି କରାଯାଇ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳର ଅତିରିକ୍ତ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସ୍ଥାନରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାଃ ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଭାବରେ ଅହସ୍ଥାପିତ କରାଯାଇଛି । ସେହି ପରି ସୁନ୍ଦରଗଡ ପୌରପାଳିକାର ସ୍ୱାସ୍ଥ୍ୟ ଅଧିକାରୀ ଡାଃ ବସନ୍ତ କୁମାର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମ ସ୍ୱାସ୍ଥ୍ୟ ଅଧିକାରୀ ଭାବେ ବଦଳି କରାଯାଇଛି । ଏ ନେଇ ବିଭାଗ ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।

Share this story

World Odia Language Conferene