ସିବିଆଇ ନୋଟିସ ସତ ନା ଚାଲ, କାହିଁକି ଆରୁଣଙ୍କୁ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା…

ସିବିଆଇ ନୋଟିସ ସତ ନା ଚାଲ, କାହିଁକି ଆରୁଣଙ୍କୁ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା…
ସିବିଆଇ ନୋଟିସ ସତ ନା ଚାଲ, କାହିଁକି ଆରୁଣଙ୍କୁ ଡାକରା, କାହିଁକି ଧର୍ମେନ୍ଦ୍ର ଖପ୍ପା…

ଭୁବନେଶ୍ୱର: ବିଜେଡି ବିଧାୟକ ଅରୁଣ ସାହୁଙ୍କୁ କାହିଁକି ସିବିଆଇ ଟାର୍ଗେଟ କରୁଛି ? ପ୍ରକୃତରେ କଣ ସିବିଆଇ ତାଙ୍କ ବିରୁଦ୍ଧରେ କିଛି ପ୍ରମାଣଯୋଗ୍ୟ ତଥ୍ୟ ପାଇଛି, ନା ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ନିଜ ପୁରୁଣା ରାଗ ଓ ଅପମାନର ପ୍ରତିଶୋଧ ନେଉଛନ୍ତି ? ଉଭୟଙ୍କ ରାଜନୈତିକ ପୃଷ୍ଠଭୂମିର ଅନୁଶୀଳନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଧୂଳି ଚାଟିବା ପରେ ଧର୍ମେନ୍ଦ୍ର ପ୍ରଧାନ ଏବେ ବ୍ୟକ୍ତିଗତ ଚରିତ୍ର ସଂହାର ଭଳି ଅତି ନିମ୍ନ ସ୍ତରର ରାଜନୀତିକୁ ଓହ୍ଲାଇ ଆସିଛନ୍ତି । ଅନ୍ୟ ଅର୍ଥରେ କହିଲେ ଏହା ଧର୍ମେନ୍ଦ୍ରଙ୍କ ପୁରୁଣା ରାଗର ପ୍ରତିଫଳନ ।

ଉତ୍କଳ ବିଶ୍ଵବିଦ୍ୟାଳୟ ବା ବାଣୀବିହାର ଛାତ୍ର ସଂସଦ ନିର୍ବାଚନରେ ଅରୁଣଙ୍କ ଠାରୁ ହାରିବାର ଅପମାନ ଓ ରାଗକୁ ସେ ଏପର୍ଯ୍ୟନ୍ତ ଭୁଲି ପାରୁନାହାନ୍ତି । ଏହାସହ ୨୦୦୯ ୟୁଥ ଆଇକନ ପ୍ରତିଯୋଗିତାରେ ମଧ୍ୟ ପୁଣି ଥରେ ମାତ ଖାଇଲେ ଧର୍ମେନ୍ଦ୍ର । ଏହି ଲଢେଇରେ ସାରା ଓଡ଼ିଶାରୁ ଅରୁଣଙ୍କୁ ୨ଲକ୍ଷ ୭୫ ହଜାର ଭୋଟ ମିଳିଥିବା ବେଳେ ଧର୍ମେନ୍ଦ୍ରଙ୍କୁ ମିଳିଥିଲା ଲକ୍ଷେ ୨୫ ହଜାର ଭୋଟ । ୟୁଥ ଆଇକନ ଲଢେଇରେ ଧର୍ମେନ୍ଦ୍ର ଅରୁଣଙ୍କ ଠାରୁ ଦେଢ଼ ଲକ୍ଷ ଭୋଟରେ ହାରିଥିଲେ ।

ଛାତ୍ର ସଂସଦ ନିର୍ବାଚନ ଓ ୟୁଥ ଆଇକନ ଲଢେଇରେ ବାରମ୍ବାର ଅରୁଣଙ୍କ ଠାରୁ ହାରିବାର ଅପମାନକୁ ସେ ସିବିଆଇ ଲୁହରେ ଧୋଇବାକୁ ଚେଷ୍ଟା କରୁଛନ୍ତି ବୋଲି ସନ୍ଦେହ ପ୍ରକଟ କରାଯାଉଛି । ଏହି ଦୁଇ ଲଢ଼େଇରୁ ଧର୍ମେନ୍ଦ୍ର ଗୋଟେ କଥା ବୁଝିଗଲେଣି ଯେ, ଭାଷଣ ହେଉ କି ରାଜନୀତି କି ବିତର୍କ କିମ୍ବା ସାହିତ୍ୟ ସେ ଅରୁଣଙ୍କ ସରି ହେଉନାହାନ୍ତି । କେବଳ ନିଜ ବାପା ରାଜନୀତିରେ ଥିବାରୁ ଧର୍ମେନ୍ଦ୍ର ଉତ୍ତରାଧିକାରୀ ସୂତ୍ରରେ ତାର ଫାଇଦା ନେଇଛନ୍ତି । ତେଣୁ ଅରୁଣଙ୍କ ଠାରୁ ସବୁକ୍ଷେତ୍ରରେ ହରୁଥିବା ଧର୍ମେନ୍ଦ୍ର କୌଣସି ମତେ ତାଙ୍କ ମୁଣ୍ଡରେ ସିବିଆଇ କାଳିମା ବୋଳି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । କେନ୍ଦ୍ରରେ ତାଙ୍କ ଦଳ ସରକାରରେ, ଆଉ ସେ ନିଜେ ପେଟ୍ରୋଲିମ ମନ୍ତ୍ରୀ, ତେଣୁ ସିବିଆଇକୁ ମୋଡି ମକଚି ନିଜ ରାଗ ଶୁଝେଇବାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ଭିତିରି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଖାଲି ଏତିକି ନୁହେଁ ବିଧାୟକ ଅତନୁ ସବ୍ୟସାଚୀ ନାୟକ ବି ସିବିଆଇ ନୋଟିସରୁ ବଂଚିତ ନାହାନ୍ତି ।ଏଠାରେ ପ୍ରଶ୍ନ ମାସ ମାସ ଧରି ଚୁପ ବସିବା ପରେ ସି’ ସୋରେ ଚିଟଫଣ୍ଡ ମାମଲାରେ ତଦନ୍ତ ନେଇ ଏତେ ଦିନ ପରେ ହଠାତ ସିବିଆଇର ନିଦ ଭାଙ୍ଗିଲା କେମିତି ? ଏହା କୌଣସି ରାଜନିତିକ ଆକ୍ରୋଶର ପରିଣାମ ନୁହେଁ ତ ? ଯଦି ନୋଟିସ ହୋଇଛି ତାହାଲେ ସିବିଆଇ ଏହାକୁ ସାର୍ବଜନୀନ କରୁନି କ’ଣ ପାଇଁ ? ସତରେ ନୋଟିସ ହୋଇଛି ନା ଶାସକ ଦଳର ଏହି ଦୁଇ ନେତାଙ୍କ ଉପରେ ଚାପ ପକାଇବା ପାଇଁ ଏହା ଏକ ଚାଲ ବୋଲି ଦଳରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share this story

World Odia Language Conferene