ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସର ୫ ବର୍ଷ ପରେ ବି ଆରମ୍ଭ ହୋଇନି କୋଏଲ୍ ନଦୀରେ ବନ୍ଧ ନିର୍ମାଣ

ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସର ୫ ବର୍ଷ ପରେ ବି ଆରମ୍ଭ ହୋଇନି କୋଏଲ୍ ନଦୀରେ ବନ୍ଧ ନିର୍ମାଣ
ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସର ୫ ବର୍ଷ ପରେ ବି ଆରମ୍ଭ ହୋଇନି କୋଏଲ୍ ନଦୀରେ ବନ୍ଧ ନିର୍ମାଣ
ରାଉରକେଲା: ରାଉରକେଲା ନିକଟବର୍ତ୍ତୀ ବୈକୁଣ୍ଠ ଘାଟଠାରେ କୋଏଲ ନଦୀରେ ବ୍ୟାରେଜ୍ ଓ ସେତୁ ପ୍ରକଳ୍ପ ଲାଗି ଯେଉଁ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେଠାରେ ଏହି ପ୍ରକଳ୍ପ ନିର୍ମିତ ହେବ ନାହିଁ । ଏହା ବଦଳରେ ପ୍ରକଳ୍ପ ସ୍ଥାନ ଠାରୁ ୨ କିମି ତଳକୁ ହମିର୍ପୁରଠାରେ ଏକ ଆନିକଟ୍ ନିର୍ମାଣ କରାଯିବ । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୩ ଜୁଲାଇ ୯ ତାରିଖରେ କୋଏଲ୍ ନଦୀରେ ବ୍ୟାରେଜ୍ ଓ ସେତୁ ପ୍ରକଳ୍ପ ଲାଗି ବୈକୁଣ୍ଠ ଘାଟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପର ଆନୁମାନିକ ଅଟକଳ ମୂଲ୍ୟ ୪୪୬ କୋଟି ଟଙ୍କା ଥିଲା । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ମୂଲ୍ୟ ଅତ୍ୟଧିକ ହେବାରୁ ଏଠାରେ ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବକୁ ସରକାର ସ୍ଥଗିତ ରଖିଛନ୍ତି ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ।
ତେବେ ଏହା ବଦଳରେ ହମିର୍ପୁରଠାରେ ଏକ ଆନିକଟ ନିର୍ମାଣ ଲାଗି ଟେଣ୍ଡର ଆହ୍ୱାନ କରାଯାଇଛି ଓ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହେଲେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି । ହମିର୍ପୁର ଆନିକଟ୍ ପାଇଁ ୩୪୦ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଥିବା ପୂର୍ବରୁ ମନ୍ତ୍ରୀ ସୂଚାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୋଏଲ୍ ନଦୀରେ ୪୪୬ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାରେଜ୍ ଓ ସେତୁ ପ୍ରକଳ୍ପ ଲାଗି ଭିତ୍ତିପ୍ରସ୍ତର ସ୍ଥାପନର ୫ ବର୍ଷ ବିତିଯାଇଥିଲେ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ନ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ଶ୍ରୀ ରାୟ ଏକ ବିବୃତ୍ତିରେ ଉଲ୍ଲେଖ କରିବା ସହିତ ସଂଶୋଧିତ ହମିର୍ପୁର ପ୍ରକଳ୍ପଟି ଯେପରି ବିଳମ୍ବିତ ନ ହୋଇ ବର୍ଷକ ମଧ୍ୟରେ ଉଦ୍ଘାଟିତ ହୁଏ ସେ ଦିଗରେ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
ଶଙ୍ଖ ଓ କୋଏଲ୍ ନଦୀର ଉପରମୁଣ୍ଡରେ ଝାଡ଼ଖଣ୍ଡ ସରକାର ବହୁ ସଂଖ୍ୟକ ବନ୍ଧ ବାନ୍ଧିବାରୁ ବ୍ରାହ୍ମଣୀ ନଦୀକୁ ଜଳ ପ୍ରବାହ ସଙ୍କୁଚିତ ହେଉଛି ଏବଂ ଯାହାର ପ୍ରଭାବରେ ଇସ୍ପାତ ନଗରୀରେ ଖରାଦିନେ ଉତ୍କଟ ଜଳାଭାବ ପରିସ୍ଥିତି ସୃଷ୍ଟି ହେଉଛି । କୋଏଲ୍ ନଦୀରେ ବନ୍ଧ ନିର୍ମାଣ ଫଳରେ ଏହି ସମସ୍ୟା ବହୁ ପରିମାଣରେ ସମାଧାନ ହୋଇପାରିବ ବୋଲି ଶ୍ରୀ ରାୟ ଆଶାବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀ ଏ ଦିଗରେ ବ୍ୟକ୍ତିଗତ ଭାବେ ନଜର ରଖିବାକୁ କହିଛନ୍ତି ।

Share this story

World Odia Language Conferene