ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବା ପାଇଁ ଗଡିଲା ରଥ

ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବା ପାଇଁ ଗଡିଲା ରଥ
ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବା ପାଇଁ ଗଡିଲା ରଥ

ଭୁବନେଶ୍ୱର: ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଡାଃ ମେହେର୍ଦ୍ଦା ଜନସଚେତନତା ପାଇଁ ପ୍ରସ୍ତୁତ ସୂଚନାପତ୍ର ଏବଂ ପରିଚାଳନା ପ୍ରୋଟୋକଲ ପୁସ୍ତିକା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ଡାଃ ମେହେର୍ଦ୍ଦା କହିଛନ୍ତି ଯେ, ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଲୋକଙ୍କୁ ଜଳ ଓ ଭେକ୍ଟରବାହିତ ରୋଗ ସଂପର୍କରେ ସଚେତନ କରାଯାଇଥାଏ । ପୂର୍ବରୁ ଏହା ୧୫ ଦିନ ପାଇଁ ଚାଲୁଥିବା ବେଳେ ଚଳିତ ବର୍ଷ ପ୍ରଥମେ ଏହାକୁ ଏକ ମାସ ଓ ପରେ ୩ମାସ ପୀଇଁ ଚଳାଯିବ ।

ବର୍ଷାଦିନିଆ ରୋଗ ସଂପର୍କରେ ସଚେତନ କରିବା ପାଇଁ ଗଡିଲା ରଥ

ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିଶେଷ କରି ପଂଚାୟତିରାଜ ଓ ପାନୀୟଜଳ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ, ଶିଳ୍ପ ଆଦି ବିଭାଗକୁ ସାମିଲ କରାଯାଇଛି । ଏହାଛଡା ଗାଁ କଲ୍ୟାଣ ସମିତିର କର୍ମକର୍ତା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯିବ । କୌଣସି ଠାରେ ଜଳ କିମ୍ବା ଭେକ୍ଟରବାହିତ ରୋଗ ଦେଖା ଦେଲେ ତାହା ଯେପରି ଅନ୍ୟ ଅଂଚଳକୁ ନ ବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ।

ବର୍ଷା ଋତୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାଲାଇନ୍ ଓ ଔଷଧ ମହଜୁଦ ରଖାଯାଇଛି ବୋଲି ଡାଃ ମେହେର୍ଦ୍ଦା ପ୍ରକାଶ କରିଛନ୍ତି । ସେହିପରି ବିହାରରେ ଏନ୍ସେଫାଲାଇଟସ୍ ରୋଗରେ ଅନେକ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ରାଜ୍ୟ ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏହି ରୋଗର ନିୟନ୍ତ୍ରଣ ପାଇଁ ଥିବା ଗାଇଡଲାଇନ ଗୁଡିକ ପାଳନ କରିବା ନିମନ୍ତେ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଆଶା କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଥିବା ସେ କହିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ପରିସରରେ ଆୟୋଜିତ ଆଜିର ଏହି ଉତ୍ସବରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ ହରପ୍ରସାଦ ପଟ୍ଟନାୟକଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ପଦାଧିକାରୀମାନ ଉପସ୍ଥିତ ଥିଲେ ।

Share this story

World Odia Language Conferene