ଜୁଲାଇ ୬ରୁ ବିଜେପି କରିବ ସଦସ୍ୟତା ଅଭିଯାନ

ଜୁଲାଇ ୬ରୁ ବିଜେପି କରିବ ସଦସ୍ୟତା ଅଭିଯାନ
ଜୁଲାଇ ୬ରୁ ବିଜେପି କରିବ ସଦସ୍ୟତା ଅଭିଯାନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ ତାରିଖଠାରୁ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଣ୍ଟନ କରାଯିବ । ପ୍ରତି ବୁଥ ସ୍ତର ଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସବୁଠାରେ ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ଦିଗରେ ଆଜିର ସାଂଗଠନିକ ବୈଠକରେ ଆଲୋଚନା ହୋଇଥିଲା ବୋଲି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

ସେହିପରି ବାତ୍ୟା ଫନି ପରେ ରାଜ୍ୟସରକାର ବାତ୍ୟା ପ୍ରପୀଡିତଙ୍କୁ ଥଇଥାନ କରାଇବାରେ ସଂପୂର୍ଣ୍ଣରୂପେ ବିଫଳ ହୋଇଛନ୍ତି । ବିଦ୍ୟୁତ, ପିଇବା ପାଣି, ପଲିଥିନ, ଶୁଖିଲା ଖାଦ୍ୟ ଏବଂ ଦରକାରୀ ଔଷଧ ଯୋଗାଇବାରେ ରାଜ୍ୟସରକାର ଫେଲ୍ ମାରିଛନ୍ତି । ଅନ୍ୟପଟେ ରାଜ୍ୟରେ ଧାନ କିଣା ବିକାରେ ବ୍ୟାପକ ଅନିୟମିତତା ହେଉଥିବା କଥା ବୈଠକରେ ଆଲୋଚନା ହୋଇଥିଲା ।

ମିଲର୍ସମାନେ ମନମୁଖି କାରବାର କରୁଥିବା ବେଳେ ସରକାରଙ୍କର ମନ୍ତ୍ରୀ ଅଫିସରମାନେ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି । ଆଜି ବି ଅନେକ ମଣ୍ଡିରେ ଧାନ ଉଠିନାହିଁ । ଆଉ ଦିନ କେଇଟା ପରେ ବର୍ଷା ଆରମ୍ଭ ହୋଇଯିବ । ସେହିପରି ଅନେକ ସ୍ଥାନରେ ଚାଷି ଧାନ ବିକିସାରିବାର ମାସ ମାସ ବିତିଗଲାପରେ ପଇସା ମିଳିନାହିଁ । ଦିନକୁ ଦିନ ରାଜ୍ୟରେ ନିର୍ବାଚନୀ ପରବର୍ତୀ ହିଂସା ବଢିବାରେ ଲାଗିଛି । ଶାସକ ଦଳ ରକ୍ତମୁଖା ସାଜିଛି । ଗତକାଲି ଗଂଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡାର ପଂଚାୟତର ପୂର୍ବତନ ସରପଂଚଙ୍କ ପୁଅ ସୁଶାନ୍ତ ନାୟକଙ୍କୁ ହତ୍ୟା କରାଯାଇଛି । ସେହିପରି ଗତ କିଛି ଦିନ ତଳେ ନବରଙ୍ଗପୁର କୋଡିଙ୍ଗାରେ ଜଣେ ବୃଦ୍ଧଙ୍କୁ କୁକୁଡା ଖେଳ ଭଳି ଛୋଟିଆ ଅପରାଧିକ ଘଟଣା ସନ୍ଦେହରେ ପୋଲିସ ହାଜତକୁ ନେଇ ଅଟକ ରଖିଥିବା ବେଳେ ତାଙ୍କୁ ମାଡ ମାରିଥିଲା । ସେଥିରେ ସେହି ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ପୋଲିସର ଏହି ବର୍ବରତା ଅତ୍ୟନ୍ତ ନିନ୍ଦନିୟ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ମୃତ୍ୟୁ ଗୋବର୍ଦ୍ଦନଙ୍କ ପରିବାରକୁ କ୍ଷତି ପୁରଣ ଭାବେ ୨୦ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରାଯାଇଛି ।

ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ଜଣେ ସରକାରି ଇଂଜିନିୟରଙ୍କୁ ରାଜରାସ୍ତାରେ ଉଠ ବସ କରାଇବା ଘଟଣାରେ ଥାନାରେ ମାମଲା ରୁଜୁ ହୋଇଥିବା ସତ୍ୱେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଚୁପ ବସିଛି । ସେହିପରି ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଜଣେ ମହିଳା ଅସଦାଚରଣ ଅଭିଯୋଗ ଉପରେ ବି ପୋଲିସ ନିରବ । ସରକାରି ଦଳର ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ସାଧାରଣ ଜନତାଙ୍କ ପ୍ରତି ଏପରି ଆଚରଣକୁ ଆଜିର ରାଜ୍ୟ ପଦାଧିକାରି ବୈଠକରେ ନିନ୍ଦା କରାଯିବା ସହ ପୋଲିସର ନିରବତା ଉପରେ ପ୍ରଶ୍ନ ଉଠାଇଛି । ରାଜ୍ୟ ଉପ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବା ଆଜିର ଏହି ପଦାଧୀକାରି ବୈଠକରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ଗିରିଧାରି ଗମାଙ୍ଗୋ, ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ସହ ସଙ୍ଗଠନ ସାଧାରଣ ସମ୍ପାଦକ ଅମିତାଭ ଚର୍କବର୍ତି, ସଦସ୍ୟତା ପ୍ରଭାରି ଅନନ୍ତ ନାୟକ, ସହ ପ୍ରଭାରି ସାରଦା ପ୍ରସାଦ ଶତପଥୀ ଓ ରାଜ୍ୟର ସମସ୍ତ ପଦାଧିକାରିମାନେ ଯୋଗ ଦେଇଥିଲେ । 

Share this story

World Odia Language Conferene