ଘଷିପୁରା ବିଜେଡିରେ ବିଦ୍ରୋହ: ବଦ୍ରୀ ବାପ ପୁଅଙ୍କୁ ପଦ୍ମ ଭରସା

ଘଷିପୁରା ବିଜେଡିରେ ବିଦ୍ରୋହ: ବଦ୍ରୀ ବାପ ପୁଅଙ୍କୁ ପଦ୍ମ ଭରସା
ଘଷିପୁରା ବିଜେଡିରେ ବିଦ୍ରୋହ: ବଦ୍ରୀ ବାପ ପୁଅଙ୍କୁ ପଦ୍ମ ଭରସା

ଭୁବନେଶ୍ୱର (ସ୍ବତନ୍ତ୍ର ପ୍ରତିନିଧି): ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଲଡିଆଁ ରୋଗ ସେତେ ଜୋରେ ବ୍ୟାପୁଛି । ଏହି ରୋଗରେ ଅନେକ ପୀଡିତ ଥିବା ବେଳେ ଏବେ ଆଉ ଜଣେ ହେବିୱଟଙ୍କ ନାମ ଶୁଣିବାକୁ ମିଳୁଛି । ବହୁ ଚର୍ଚ୍ଚିତ ଘଷିପୁରା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ରାଜ୍ୟ ରାଜନୀତିର ଜଣାଶୁଣା ନାମ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପୁଅ ଦେବାଶିଷ ପାତ୍ର ନିଜ ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ଦେବାଶିଷ ପାତ୍ର ମନ୍ତ୍ରୀଙ୍କ ପୁଅ ହୋଇଥିବା ବେଳେ ଘଷିପୁରା ବ୍ଲକର ଅଧ୍ୟକ୍ଷ ମଧ୍ୟ ରହି ଆସିଛନ୍ତି । ବିଜେଡି ଟିକେଟ ନମିଳିଲେ ସେ ବିଜେପିରେ ଯୋଗଦେଇପାରନ୍ତି ବୋଲି ସୂଚନା ମିଳିଛି । ଘଷିପୁରାରେ ବିଜେଡି ପୂର୍ବ ସ୍ଥିତିରେ ନଥିବା ବେଳେ ବଦ୍ରୀଙ୍କ ଅଜାତ ଶତ୍ରୁ କୁହାଯାଉଥିବା ନିରଞ୍ଜନ ପଟ୍ଟନାୟକ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି ।

ଅନ୍ୟପଟେ ବିଜେପି ବି ଲୋକଙ୍କ ଆସ୍ଥା, ବିଶ୍ୱାସ ଓ ଲୋକପ୍ରିୟତା ସାଉଁଟି ଚାଲିଥିବା ବେଳେ ବିଜେଡି ଓ କଂଗ୍ରେସ ନିଜର କାର୍ଡ ଖୋଲି ପାରୁ ନାହାନ୍ତି । ଘସିପୁରାରେ କିଏ ବିଜେଡି ଓ କଂଗ୍ରେସରୁ ପ୍ରକୃତ ପ୍ରାଥୀ ହେବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ନହେବା ପଛରେ ବଦ୍ରୀଙ୍କ ଦଳୀୟ ଟିକେଟ ନମିଳିବା ହିଁ ମୁଖ୍ୟ କାରଣ ବୋଲି ଏ କଥାକୁ କେହି ଏଡାଇ ଯାଇ ପାରିବେନି ।

ଅନ୍ୟପଟେ ଯାହାପାଇଁ ଆଜି ଘସିପୁରା ରାଜନୀତିରେ ଏତେ ଗଣ୍ଡଗୋଳ ଯାହା ପାଇଁ ବଦ୍ରୀଙ୍କ ପୁଅ ଜେଲ ଯାଇଥିଲେ ସେ ବାହୁବଳୀ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜନ ସମୃଦ୍ଧି ପାର୍ଟିର ରାଜ୍ୟ ସମ୍ପାଦକ ସୁରେଶ ସାହୁ ମଧ୍ୟ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଓ ବରିଷ୍ଠ ବିଜେପି ନେତା ପ୍ରତାପ ଷଡଙ୍ଗୀଙ୍କୁ ଭେଟି ଆଲୋଚନା କରିଥିବା ଚର୍ଚ୍ଚା ହେଉଛି  । ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ତରଫରୁ ସେପରି କିଛି ସିଗ୍ନାଲ ମିଳି ନଥିବା ବେଳେ ବଦ୍ରି ହୁଅନ୍ତୁ ବା ତାଙ୍କ ପୁଅଙ୍କୁ ବିଜେପି ନେଲେ ଦଳ ପାଇଁ ଲାଭ ହେବ କି କ୍ଷତି ତାହା ଏବେ ବିଚାର ବିମର୍ଷ ଚାଲିଛି ।

କାହିଁକିନା ମନ୍ତ୍ରୀଙ୍କ ପୁଅ ଜେଲରେ ଥିବା ବେଳେ ବିଜେପି ବହୁବାର ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । ଏବେ କିପରି ନିଜେ ସେହି ନେତାଙ୍କୁ ଦଳରେ ସାମିଲ କରିବ ତାକୁ ନେଇ ନିଜ ମନରେ ନିଜକୁ ପ୍ରଶ୍ନ କରୁଥିବା ଜଣା ପଡିଛି । ସେହିପରି କିଛିଦିନ ତଳେ ନବୀନ ନିବାସରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ସହ ନବୀନଙ୍କ ଭେଟଘାଟ ରାଜନୈତିକ ସମୀକରଣକୁ ଅଧିକ ଜଟିଳ କରିଛି ।

Share this story

World Odia Language Conferene