କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷାକୁ ସର୍ବାଧିକ ଗୁରୁତ୍ୱ

କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷାକୁ ସର୍ବାଧିକ ଗୁରୁତ୍ୱ
କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟରକ୍ଷାକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର: ବାତ୍ୟାଞ୍ଚଳରେ କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ବାତ୍ୟା ପରବର୍ତ୍ତୀ ଅବସ୍ଥାରେ ସେମାନେ ଯେଭଳି ସଂକ୍ରମଣର ଶିକାର ନହୁଅନ୍ତି ଓ ସମ୍ମାନଜନକ ଜୀବନ ଯାପନ କରନ୍ତି ସେଥିପାଇଁ ପୁରୀ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ସାନିଟାରୀ ନାପକିନ୍‍ ଯୋଗାଇ ଦିଆଯାଇଛି ।

ବାତ୍ୟା ଫୋନୀକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବାପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ୧୯୪୫ ଜଣ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୦୦ ଜଣଙ୍କର ଡାକ୍ତରଖାନରେ ପ୍ରସବ ହୋଇପାରିଛି ।

ବାତ୍ୟାରେ ଘର ଦ୍ୱାର ଭାଙ୍ଗି ଯାଇଥିବା କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ସେମାନେ ଯେଭଳି କୌଣସି ସଂକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ସମସ୍ତଙ୍କୁ ମାଗଣାରେ ସାନିଟାରୀ ନାପ୍‍କିନ୍‍ ଯୋଗାଇ ଦିଆଯାଉଛି । କେବଳ ପୁରୀ ଜିଲ୍ଲାରେ ୨୪ଲକ୍ଷ ନାପ୍‍କିନ୍‍କୁ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଘରକୁ ଘର ବୁଲି ବିତରଣ କରାଯାଉଛି ।

ଆସନ୍ତା ଦୁଇମାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିନା ମୂଲ୍ୟରେ ଏହା ଯୋଗାଇ ଦିଆଯାଉଥିବାବେଳେ ଜିଲ୍ଲାର ସମସ୍ତ କିଶୋରୀ ଓ ମହିଳା ଯେଭଳି ଏହା ପାଇପାରିବେ ସେଥିପାଇଁ ଜାତୀୟ ସ୍ୱସ୍ଥ୍ୟମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଶାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କାର୍ଯ୍ୟକ୍ରମ ଏକ ଛୋଟିଆ ସହାୟତା ହୋଇଥିଲେ ମଧ୍ୟ କିଶୋରୀ ଓ ମହିଳାଙ୍କ ମର୍ଯ୍ୟାଦାପୂର୍ଣ୍ଣ ସ୍ୱସ୍ଥ୍ୟକର ଜୀବନ ଯାପନ କ୍ଷେତ୍ରରେ ଏହା ବେଶ୍‍ ଉପଯୋଗୀ ।

ଏଥି ସହିତ ବାତ୍ୟାଞ୍ଚଳରେ ମେଡିକାଲ ରିଲିଫ କେନ୍ଦ୍ର ଠାରୁ ଆରମ୍ଭକରି ଗାଁ କଲ୍ୟାଣ ସମିତି ସହାୟତାରେ ସଫେଇ କାର୍ଯ୍ୟକ୍ରମ, ଜଳ ବିଶୋଧନ ଲାଗି ପର୍ଯ୍ୟାପ୍ତ ପରିମାଣର ହାଲୋଜେନ୍‍ ଓ କ୍ଲୋରିନ୍‍ ବଟିକା ଯୋଗାଇ ଦିଆଯାଉଛି । ଲୋକଙ୍କ ଘର ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ଚିକିତ୍ସାକେନ୍ଦ୍ର ସହିତ ପୁରୀ ଓ ଖୋରଧା ଜିଲ୍ଲାକୁ ଅତିରିକ୍ତ ୨୦ଜଣ ଜଣ ଡାକ୍ତରୀଦଳ ପଠାଯାଇଛି ।

Share this story

World Odia Language Conferene