କିଏ ହେବ 2019 କ୍ରିକେଟ ୱାର୍ଲଡ କପର ବାଦଶାହ, କଣ ଭାରତ ତୃତୀୟ ତାଜ ହାତେଇବ, ପଢନ୍ତୁ କଣ ରହିଛି ଭାରତର ସ୍ଥିତି…

କିଏ ହେବ 2019 କ୍ରିକେଟ ୱାର୍ଲଡ କପର ବାଦଶାହ, କଣ ଭାରତ ତୃତୀୟ ତାଜ ହାତେଇବ, ପଢନ୍ତୁ କଣ ରହିଛି ଭାରତର ସ୍ଥିତି…
କିଏ ହେବ 2019 କ୍ରିକେଟ ୱାର୍ଲଡ କପର ବାଦଶାହ, କଣ ଭାରତ ତୃତୀୟ ତାଜ ହାତେଇବ, ପଢନ୍ତୁ କଣ ରହିଛି ଭାରତର ସ୍ଥିତି…

କ୍ରିକେଟ ମଇଦାନରେ ମହାଲଢ଼େଇ ଜାରି ରହିଛି । ବିଶ୍ୱ ବିଜେତା ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି ୧୦ଟି ଦେଶ । ଲଢେଇ ଯେତେ ଯେତେ ଜୋର୍‌ ହେଉଛି ଦର୍ଶକ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିଛି । ଆୟୋଜକ ଇଂଲଣ୍ଡ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମେତ ଭାରତ ମଧ୍ୟ ଏଥର ବିଶ୍ୱକପ୍‌ ଦାବିଦାର ରହିଛି ।

ଆରମ୍ଭରୁ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଟିମ୍‌ ଇଣ୍ଡିଆର ମନୋବଳ ମଧ୍ୟ ବେଶ୍‌ ଦୃଢ଼ ରହିଛି । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳକୁ ବିଜୟ ମିଳିଲା କିନ୍ତୁ ଆତ୍ମସମୀକ୍ଷାର ବେଳ ଯେ ଦୁଆର ମୁହଁରେ କବାଟ ଠକ୍‌ ଠକ୍‌ କରିଛି ଏହା ମାନିବାକୁ ପଡ଼ିବ । ମହମ୍ମଦ ସାମି ଏବଂ ଜଶପ୍ରିତ୍‌ ବୁମରା ବିରାଟ ବାହିନୀର ସମ୍ମାନ ବଞ୍ଚାଇ ଦେଲେ ସିନା ଆଗକୁ ଯେ, ଲଢୁଆ ରଣନୀତି ସହ ମଇଦାନକୁ ଓଲ୍ହାଇବାକୁ ଆହ୍ଵାନ ଦେଲା ଏହା ପ୍ରତିଟି ସଦସ୍ୟ ଅଙ୍ଗେ ନିଭେଉଛନ୍ତି । ଯାହା ପରବର୍ତ୍ତୀ ମ୍ୟାଚରେ ଦେଖିବାକୁ ମିଳିବ ବୋଲି କ୍ରିକେଟ ସମୀକ୍ଷକ ଓ ଦର୍ଶକ ଆଶା ରଖିଛନ୍ତି ।

ବିଜୟ ଅଭିଯାନ ଜାରି ରଖିଥିବା ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟକ୍କର ୱେଷ୍ଟଇଣ୍ଡିଜ ସହ ହେବ । ଓଲଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ବିରାଟ ବାହିନୀ ଓ କାରବିଆନ ଟିମ୍‌ । ଏହି ମ୍ୟାଚରେ ଭାରତର ବିଜୟ ସମ୍ଭାବନା ୭୩ ପ୍ରତିଶତ ରହିଥିବା ବେଳେ ୱେଷ୍ଟ ଇଣ୍ଡିଜର ରହିଛି ମାତ୍ର ୨୭ ପ୍ରତିଶତ । ୫ଟି ମ୍ୟଚରୁ ୪ଟି ମ୍ୟାଚ ଜିତି ୯ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ତୃତୀୟରେ ରହିଛି ଟିମ୍‌ ଇଣ୍ଡିଆ । ୬ଟି ମ୍ୟାଚ ଖେଳି ୪ଟିରେ ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ତାଲିକାର ସପ୍ତମ ସ୍ଥାନରେ ରହିଛି ।

ଦ୍ୱାଦଶତମ ସଂସ୍କରଣରେ ତୃତୀୟ ବିଶ୍ୱକପ୍‌ ହାସଲ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍‌କୁ ମାତ ଦେବା ଲକ୍ଷ୍ୟରେ ପଡ଼ିଆକୁ ଓଲ୍ହାଇବ । ଆପଗାନିସ୍ତାନଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିବା ଟିମ୍‌ ଇଣ୍ଡିଆ କିନ୍ତୁ ନୂଆ ରଣନୀତି ସହ ପଡ଼ିଆକୁ ଓଲ୍ହାଇବ ଏଥିରେ ଦ୍ୱିମତ ନାହିଁ ।

ଭାରତ-ଆଫଗାନିସ୍ତାନ ମ୍ୟାଚ ହେଉ କିମ୍ବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ନ୍ୟୁଜିଲାଣ୍ଡ ମ୍ୟାଚ ଅବା ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବାଜିମାତ । ଚଳିତ ବିଶ୍ୱକପ୍‌ ମହାସମରରେ ଟିମ୍‌ ମଧ୍ୟରେ ମହାମୁକାବିଲାର ପର୍ଯ୍ୟାୟ ଯେ ଆରମ୍ଭ ହୋଇଗଲାଣି ତାହା ଜଣାପଡ଼ୁଛି । କ୍ରିକେଟ୍‌ ପ୍ରେମୀ ଏବେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଉଛନ୍ତି ଆଗକୁ ମଧ୍ୟ ଏଭଳି ପ୍ରଦର୍ଶନ ଫାଇନାଲ ଲଢ଼େଇ ପର୍ଯ୍ୟନ୍ତ ଜାରି ରହିବ ।

କାହିଁକି ନା ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ର ଅନ୍ୟତମ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ କିଛି ମାତ୍ରାରେ ଫିକା କରିଦେଇଛି ଶ୍ରୀଲଙ୍କା ଟିମ୍‌ । ଫିକା ପ୍ରଦର୍ଶନ ଦେଇ ଆସୁଥିବା ଶ୍ରୀଲଙ୍କା ଅଚାନକ ଶ୍ରେଷ୍ଠ କ୍ରିକେଟ୍‌ ଖେଳି ଗତ ଶୁକ୍ରବାର ମ୍ୟାଚରେ ଇଂଲଣ୍ଡକୁ ଯେଉଁଭଳି ଟକ୍କର ଦେଇଛି ତାହା କ୍ରିକେଟ୍‌ ପ୍ରେମୀଙ୍କୁ ଉତ୍ସାହିତ କରିଛି । ଅନ୍ୟ କିଛି ମ୍ୟାଚ ଉପରେ ନଜର ପକାଇଲେ ଏହା ବି ସ୍ପଷ୍ଟ ହୋଇଛି ଯେ, ଦୁର୍ବଳ ଶ୍ରେଣୀରେ ଥିବା ଟିମ୍‌ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରୁଛନ୍ତି । ବିଶ୍ୱକପ୍‌ ଅଭିଯାନର ଦ୍ୱିତୀୟ ପର୍ଯାୟରେ ଚ୍ୟାଲେଞ୍ଜପୂର୍ଣ୍ଣ, ଉତ୍କଣ୍ଠାରେ ଭରପୁର କଡ଼ା ଟକ୍କରର ମ୍ୟାଚ ଦେଖିବାକୁ ମିଳିବ ଏଥିରେ ସନ୍ଦେହ ନାହିଁ ।

Share this story

World Odia Language Conferene