ଓଡ଼ିଶା ପୁଲିସ ନାଁ ପଦାରେ ପକାଇଲେ ଜେଲର ବାବୁ, ଯୁବତୀଙ୍କ ସହ ଶହେ ଶହେରେ ଖେଳ

ଓଡ଼ିଶା ପୁଲିସ ନାଁ ପଦାରେ ପକାଇଲେ ଜେଲର ବାବୁ, ଯୁବତୀଙ୍କ ସହ ଶହେ ଶହେରେ ଖେଳ
ଓଡ଼ିଶା ପୁଲିସ ନାଁ ପଦାରେ ପକାଇଲେ ଜେଲର ବାବୁ, ଯୁବତୀଙ୍କ ସହ ଶହେ ଶହେରେ ଖେଳ
ଭଦ୍ରକ: ନାରୀକୁ ସୁରକ୍ଷା ଓ ସମ୍ମାନ ଦିଅ । ଏମିତି ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପୁଲିସ ବାରମ୍ବାର କରୁଛି । ହେଲେ ମହିଳାଙ୍କୁ ସୁରକ୍ଷା ଦେବେ କ’ଣ ଜଣେ ଯୁବତୀଙ୍କ ଜୀବନ ସହ ଖେଳିଛନ୍ତି ଜଣେ ପୁଲିସ ବାବୁ । କହିବାକୁ ଗଲେ ଯୁବତୀଙ୍କ ଶହେ ଶହେରେ ଖେଳିଛନ୍ତି ଏହି ପୁଲିସ ବାବୁ ଜଣଙ୍କ । ଯାହାଙ୍କ ପାଇଁ ରାଜ୍ୟ ପୁଲିସର ନାଁ ପଦାରେ ପଡିଥିବା ଚର୍ଚ୍ଚା ଜୋର ଧରିଛି । ଏହି ପୁଲିସ ବାବୁ ଜଣଙ୍କ ଆଉ କେହି ନୁହେଁ ବରଂ ଭଦ୍ରକ ଜେଲର ଚିନ୍ମୟ ପାତ୍ର ଅଟନ୍ତି । ତାଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ସେ ଜେଲର ଚିନ୍ମୟଙ୍କ ନାଁରେ ଭଦ୍ରକ ଟାଉନ୍ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ମୁତାବକ, ଚିନ୍ମୟ କରଞ୍ଜିଆର ଜେଲର ଥିବା ବେଳେ ବାଲେଶ୍ୱରର ଜଣେ ଇଞ୍ଜିନିୟରିଂ ପଢ଼ୁଥିବା ଯୁବତୀଙ୍କୁ ମିଛ ପ୍ରତିଶ୍ରୁତି ଦେଇ ବିବାହ କରିଥିଲେ । ହେଲେ ସେ ବିବାହିତା ଓ ଦୁଇ ଛୁଆର ବାପା ଥିବା ଯୁବତୀଙ୍କୁ ଏକଥା ଲୁଚାଇ ରଖିଥିଲେ । ବାଲେଶ୍ୱରରେ ଯୁବତୀ ଜଣଙ୍କ ବିଟେକ୍ ପାଠ ପଢ଼ୁଥିବା ବେଳେ ଜେଲରଙ୍କ ସହ ତାଙ୍କ ସମ୍ପର୍କ ଗଢ଼ି ଉଠିଥିଲା । ପ୍ରଥମ ଫେସବୁକ୍ ରେ ବନ୍ଧୁତା ଓ ପରେ ଦୁହେଁଙ୍କ ଭିତରେ ପ୍ରେମ ସମ୍ପର୍କ ଘନିଭୂତ ହୋଇଥିଲା । ଜେଲର ବାବୁ ଚାଲାଖ କରି ଯୁବତୀଙ୍କ ପରିବାରଙ୍କୁ ନିକଟତର କରିବାରେ ସକ୍ଷମ ହୋଇଥିଲେ ।
ଦିନ ଦିନ ଧରି ଯୁବତୀଙ୍କ ସହ ମିସିବା ପରେ ତାଙ୍କୁ ବିବାହ କରିବା ପାଇଁ ସେ ଘରେ କଥା ପକାଇଥିଲେ । ଦିନେ ହଠାତ୍ ସେ ଯୁବତୀଙ୍କୁ ଜୋର ଜବରଦସ୍ତ ଟାଣି ନେଇ ମନ୍ଦିରରେ ବିବାହ କରିଥିଲେ ଓ ପରେ ଉଭୟ ପତି-ପତ୍ନୀ ହୋଇ ରହିଥିଲେ । ଦିନେ ହଠାତ୍ ଚିନ୍ମୟଙ୍କ ମୋବାଇଲକୁ ଜଣେ ମହିଳାଙ୍କ ଭିଡ଼ିଓ କଲ ଆସିଥିଲା । ସେ ଚିନ୍ମୟଙ୍କୁ ବାରମ୍ବାର ପଚାରିବାରୁ ଉଭୟଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଥିଲା । ବୁଝୁ ବୁଝୁ ମହିଳା ଜଣଙ୍କ ଜେଲର ଚିନ୍ମୟଙ୍କ ପ୍ରଥମ ପତ୍ନୀ ବୋଲି ଜାଣିବାକୁ ପାଇଥିଲେ ।
ସେହିଦିନଠାରୁ ଉଭୟଙ୍କ ଭିତରେ ଯୁକ୍ତିତର୍କ ଲାଗି ରହୁଥିଲା । ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବା ପାଇଁ ଧମକ ମଧ୍ୟ ଦଉଥିଲେ ପୁଲିସ ବାବୁ ଜଣଙ୍କ । ଖାଲି ଏତିକି ନୁହେଁ ଯୁବତୀଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବା ପାଇଁ ଧମକ ଚମକ ମଧ୍ୟ ଦେଇଥିଲେ ଜେଲର ବାବୁ । ଯନ୍ତ୍ରଣା ସହି ନପାରି ଯୁବତୀ ଜଣଙ୍କ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜେଲର ବାବୁଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବତୀ ଜଣଙ୍କ ଦାବି କରିଛନ୍ତି ।

Share this story

World Odia Language Conferene