ବିଜେପି ପ୍ରାର୍ଥୀ ନୀଳମଣିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ବିଜେପି ପ୍ରାର୍ଥୀ ନୀଳମଣିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍
ବିଜେପି ପ୍ରାର୍ଥୀ ନୀଳମଣିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

ବ୍ରହ୍ମପୁର: ଇଭିଏମ୍ ଭଙ୍ଗାରୁଜା ଘଟଣାରେ ଭଞ୍ଜନଗର ଏଡିଜେ କୋର୍ଟ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନୀଳମଣି ବିସୋୟୀଙ୍କୁ ଆଜି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଅର୍ଥରାଶି ଓ ଦୁଇଟି ଜାମିନଦାର ଆଧାରରେ ତାଙ୍କୁ ଏହି ଜାମିନ୍ ପ୍ରଦାନ କରାଯାଇଛି ।

ନୀଳମଣି ତଦନ୍ତରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବେ ଓ ସାକ୍ଷୀମାନଙ୍କୁ ଧମକଚମକ ନ ଦେବା ପାଇଁ କୋର୍ଟ ସର୍ତ୍ତରେ ଉଲ୍ଲେଖ କରିଛନ୍ତି । ତାଙ୍କୁ ଜାମିନ୍ ମିଳିବା ପରେ ଅପରାହ୍ନରେ ସେ ଜେଲରୁ ମୁକୁଳିଥିଲେ । ତାଙ୍କୁ ସ୍ୱାଗତ କରିବା ପାଇଁ ବିଜେପିର ବହୁ ସମର୍ଥକ ସୋରଡ଼ା ଜେଲ ସମ୍ମୁଖରେ ପହଂଚିଥିଲେ ।

ସୂଚନାଯୋଗ୍ୟ, ଗତ ଏପ୍ରେଲ ୧୮ ତାରିଖରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଚାଲିଥିବା ବେଳେ ରେଣ୍ଟି ଗ୍ରାମର ୧୮୨ ନମ୍ବର ବୁଥରେ ରେଗିଙ୍ଗ ହୋଉଥିବା ଖବର ପାଇ ନୀଳମଣି ସେଠାରେ ପହଂଚିଥିଲେ । ଏହି ସମୟରେ ନୀଳମଣି ଓ ଅନ୍ୟ ଗୋଷ୍ଠୀର ସମର୍ଥକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପ୍ରିଜାଇଡିଙ୍ଗ ଅଫିସରଙ୍କ ଉପସ୍ଥିତିରେ ସେ ଇଭିଏମ ମେସିନ୍ ଭଙ୍ଗାରୁଜା କରିଥିଲେ । ଏନେଇ ସୋରଡ଼ା ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ସେହିଦିନ ମଧ୍ୟରାତ୍ରିରେ ନୀଳମଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Share this story

World Odia Language Conferene